Spread the love

ଅନୁଗୋଳ, ୨୦.୦୧ : ଆଜି ପୂର୍ବାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ “ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ-୨୦୨୬” ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଯୋଗ ଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଭାର ସମ୍ମାନ ଜଣାଇ ସମାଜର ପ୍ରତିଟି ବ୍ଯକ୍ତିର ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ଶପଥ ନେବାକୁ ଉତ୍ସାହିତ କରିଥିଲେ। ସେହିପରି କାର୍ଯ୍ୟକ୍ରମର ସଭାପତି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ପ୍ରତିଟି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ, ସେମାନଙ୍କର ବିକାଶହିଁ ସମାଜର ସମାବେଶୀ ବିକାଶ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଚିକିତ୍ସାଳୟ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ. ଅନ୍ତର୍ଯ୍ୟାମୀ ମିଶ୍ର ବିଜ୍ଞାନର ଅଭିବୃଦ୍ଧିରେ ଅକ୍ଷମତାର ହାର କମିଛି ବୋଲି କହିବା ସହ ପୁନଃ ନିର୍ମାଣ ଅସ୍ତ୍ରୋପଚାର (Reconstructive Surgery) ମାଧ୍ୟମରେ ଚିକିତ୍ସା କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପମୁଦ୍ରା ପଟ୍ଟନାୟକ, କଣିହାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରିୟ ରଞ୍ଜନ ପ୍ରଧାନ, ଜିଲ୍ଲା ବିଜ୍ଞାନ ପର୍ଯ୍ଯବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡନାୟକଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ୩୦ ଟି ବିଭାଗରେ କନିଷ୍ଠ, ମଧ୍ୟମ ଓ ବରିଷ୍ଠ ବର୍ଗର ସର୍ବମୋଟ ୧୬୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *